ଭଉଣୀ ର ସ୍ବପ୍ନ କୁ ପୁରା କରୁଛି : ରୋସନ


ଚେନ୍ନାଇ:(୧-୧୨-୨୫)
ତାମିଲନାଡୁ ର ଚେନ୍ନାଇ ଓ ମଦୁରାଇ ରେ ନଭେମ୍ବର ୨୮ ରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ଵକପ ଯାହା ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ । ଉଭୟ ସ୍ଥାନରେ ବିଶ୍ବକପ୍ ରେ ଭାଗ ନେଇଥିବା ୨୪ ଟି ଯାକ ଦେଶ ନିଜର ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ଜାରି ରଖିଛନ୍ତି ।ଭାରତୀୟ ଦଳ ପୁଲ ବି ରେ ରହି ପ୍ରଥମେ ଚିଲି ଓ ପରେ ଓମାନ କୁ ପରାସ୍ତ କରି ଗ୍ରୁପ ର ଶୀର୍ଷ ରେ ରହିଛି। ଭାରତୀୟ ଦଳ ର ମୁଖ୍ୟ କୋଚ୍ ପି ଆର ଶ୍ରିଯେସ ଓ ସହଯୋଗୀ କୋଚ୍ ବୀରେନ୍ଦ୍ର ଲାକ୍ରା। ଭାରତୀୟ ଦଳରେ ଅଛନ୍ତି ଓଡ଼ିଶାରୁ ୪ ଖେଳାଳି ୩ ଜଣ ଦଳରେ ଥିଲାବେଳେ ଅନ୍ୟ ଜଣେ ଅତିରିକ୍ତ ଭାବେ ଦଳରେ ରହିଛନ୍ତି। ଦଳରେ ଥିବା ୩ ଖେଳାଳି ଭିତରୁ ରୋସନ୍ କୁକୁର (୨୧) ଅନ୍ୟତମ ମିଡ ଫିଲଡର୍ ଓ ଫରୱାର୍ଡ ଖେଳାଳି ଭାବେ ଦଳରେ ରହି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଚେନ୍ନାଇ ରେ ଖେଳ ପରେ ଏକ ସାକ୍ଷାତ କାର ରେ ରୋସନ ଙ୍କ ସହ କିଛି କଥା –

ପ୍ରଶ୍ନ: ପ୍ରଥମ ଥର ପାଇଁ ବିଶ୍ବକପ୍ ଖେଳୁଛ ନିଜକୁ କେତେ ଫିଟ ରଖିଛ ଓ କେତେ ଉତ୍ସାହିତ ଅଛ?
ଉତ୍ତର: ମୁଁ ଦଳରେ ରହିଥିବାରୁ ବହୁତ୍ ଖୁସି ଅଛି ଭାରତୀୟ ଦଳରେ ରହି ବିଶ୍ବକପ୍ ଖେଳିବା ସ୍ବପ୍ନ ଭଳି ଲାଗୁଛି କାରଣ ଯେଉଁ ଗ୍ରାମ ରୁ ମୁଁ ଆସିଛି ନିହାତି ସମସ୍ତଙ୍କ ଆଶିର୍ବାଦ ମୋ ଉପରେ ଅଛି ଯାହା ମୋତେ ଖୁବ୍ ଉତ୍ସାହିତ କରୁଛି ଓ ନିଜକୁ ଫିଟ୍ ରଖିବାରେ ସହାୟତା କରୁଛି । ସର୍ବଦା ଫିଟ୍ ରହି ଦେଶ ପାଇଁ ଖେଳିବି ।
ପ୍ରଶ୍ନ: ପୂର୍ବରୁ କେତୋଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ରେ ଭାଗ ନେଇଛ ଓ କେତେ ସଫଳତା ପାଇଛ?
ଉତ୍ତର: ୨୦୨୪ ରେ ଏସୀୟ କପ୍ ଖେଳିଛି ଯେଉଁଥିରେ ସ୍ୱର୍ଣ୍ଣ ପଦକ ପାଇଥିଲି,ସେହିଭଳି ୨୦୨୪ ଓ ୨୫ ରେ ସୁଲତାନ ଯୋହର କପ୍ ଖେଳି ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ପାଇଛି । ଜାତୀୟ ସ୍ତରରେ ମୁଁ ସବ୍ ଜୁନିୟର ଓ ଜୁନିୟର ଖେଳି ମଧ୍ୟ ଅନେକ ସଫଳତା ପାଇଛି।

ପ୍ରଶ୍ନ: ଚେନ୍ନାଇ ରେ ବିଶ୍ଵକପ ଖେଳିବା ଓ ପ୍ରଥମ ମ୍ୟାଚରେ ପ୍ଲେୟାର ଅଫ ଦି ମ୍ୟାଚ୍ ପାଇବା କିଭଳି ଲାଗୁଛି ?
ଉତ୍ତର: ବିଶ୍ଵକପ ମୋ ପାଇଁ ନୂଆ ଅନୁଭୂତି ପ୍ରଥମ ମ୍ୟାଚ ଚିଲି ସହିତ ମୁଁ ଭଲ ଖେଳିବାକୁ ଚେଷ୍ଟା କରିଥିଲି କାରଣ ହକି ଏକ ଟିମ୍ ଗେମ୍ ଦଳରେ ସମସ୍ତ ଖେଳାଳି ଙ୍କୁ ସହଯୋଗ କରି ନିଜେ ଆଗକୁ ବଢ଼ି ଦୁଇଟି ଗୋଲ ମାରିଥିଲି ଯାହା ମୋତେ ଖୁବ୍ ଆନନ୍ଦ ଲାଗିଥିଲା କାରଣ ଷ୍ଟାଡିୟମ୍ ରେ ଦର୍ଶକ ଫୁଲ ଥିଲେ ଓ ଏଠିକାର ଉପ ମୁଖ୍ୟମନ୍ତ୍ରୀ ବସି ଆମ ଖେଳ ଦେଖୁଥିଲେ । ତେଣୁ କିଛି ଅଲଗା ଯୋସ ମୋ ମନରେ ଥିଲା ଖେଳ ସମାପ୍ତ ପରେ ମୋତେ ପ୍ଲେୟାର ଅଫ ଦି ମ୍ୟାଚ୍ ନିହାତି ମୋର ଖୁସି କୁ ଦ୍ୱିଗୁଣିତ କରିଦେଇଥିଲା ।

ପ୍ରଶ୍ନ: ପ୍ଲେୟାର ଅଫ ଦି ମ୍ୟାଚ୍ କାହାକୁ ଉତ୍ସର୍ଗ କରିବ ଓ କଣ ପାଇଁ?
ଉତ୍ତର: ମୋର ଏହି ପ୍ଲେୟାର ଅଫ ଦି ମ୍ୟାଚ୍ ମୋ ରୋଜୀତା ଦିଦି କୁ ଉତ୍ସର୍ଗ କରୁଛି ,କାରଣ ସେ ମୋର ପ୍ରଥମ ଗୁରୁ। ତାଙ୍କ ପାଖରୁ ଅନେକ କିଛି ଶିଖିଛି ଦଳରେ ରହି କିପରି ସିନିୟର୍ ମାନଙ୍କୁ ସମ୍ମାନ ଓ ଜୁନିୟର ମାନଙ୍କୁ ସ୍ନେହ ଓ ଭଲପାଇବା ତା ସହିତ କୋଚ୍ ଙ୍କ କଥା ମନଦେଇ ଶୁଣି ତାକୁ ଫିଲ୍ଡ ରେ କାମରେ ଲଗାଇବା ଏସବୁ ମୋର ରୋଜୀତା ଦିଦି ମୋତେ ଶିଖାଇଥିଲେ। ତେଣୁ ତାଙ୍କୁ ଉଚିତ୍ ସ୍ଥାନରେ ଉଚିତ୍ ସମ୍ମାନ ଦେବା ଏହା ମୋର ପ୍ରଥମ କର୍ତ୍ତବ୍ୟ ।

ପ୍ରଶ୍ନ: ଘରେ ଆଉ କିଏ କିଏ ହକି ଖେଳନ୍ତି ତମ ଦିଦି କଣ ଜଣେ ହକି ଖେଳାଳି କି?
ଉତ୍ତର: ମୋ ବାପା ଇସାକ୍ କୁକୁର ଗ୍ରାମାଞ୍ଚଳ ରେ ହେଉଥିବା ଅନେକ ଖାସି ପ୍ରତିଯୋଗିତା ଖେଳିଛନ୍ତି ସେହିଭଳି ମୋ ୫ ଭଉଣୀ ଭିତରୁ ମୋ ଉପର ଭଉଣୀ ରୋଜିତା ଜଣେ ଭଲ ଜାତୀୟ ହକି ଖେଳାଳୀ ୨୦ ରୁ ଉର୍ଦ୍ଧ୍ବ ଜାତୀୟ ପ୍ରତିଯୋଗିତା ଖେଳିଛନ୍ତି । ୨୦୧୮ ରେ ଜାତୀୟ ଚୟନ ଶିବିରରେ ମଧ୍ୟ ଯୋଗ ଦେଇଥିଲେ ହେଲେ ଜାତୀୟ ଦକ ପାଇଁ ଖେଳିବାର ସୁଯୋଗ ପାଇନଥିଲେ ଯାହା ଦ୍ଵାରା ମନରେ ଆନ୍ତର୍ଜାତୀୟ ଖେଳିବାର ଅବଶୋଷ ରହିଯାଇଛି ।ସେ ଖେଳି ନଥିଲେ ହେଲେ ମୁଁ କିପରି ଅର୍ନ୍ତଜାତୀୟ ଖେଳିବି ତାର ସ୍ବପ୍ନ ଦେଖିଥିଲେ ଯାହା ମୁଁ ଏବେ ପୁରା କରୁଛି । ମୋତେ ସେ ପ୍ରଥମେ ହକି ଷ୍ଟିକ୍ ହାତରେ ଧରାଇଥିଲେ ଓ ପରେ କ୍ରୀଡା ଛାତ୍ର ବାସ ରେ କୋଚ୍ ଅମୁଲ୍ୟ ବେହେରା ଙ୍କ ପ୍ରଶିକ୍ଷଣ ଯାହା ମୋ ପାଇଁ ବରଦାନ ସଦୃଶ୍ୟ ଥିଲା ଆଜି ମୁଁ ଜାତୀୟ ଦଳରେ ରହି ଦେଶ ପାଇଁ ଖେଳି ସଫଳତା ପାଉଛି ।

ପ୍ରଶ୍ନ: ଦୁଇ ଅଲମ୍ପୀୟନ୍ ଶ୍ରିଯେସ ଓ ବୀରେନ୍ଦ୍ର ଏବେ ଦଳରେ ରହି ପ୍ରଶିକ୍ଷଣ ଦେଉଛନ୍ତି ତମକୁ କିପରି ଲାଗୁଛି?
ଉତ୍ତର: ଶ୍ରିଯେଶ ସାର ଓ ବୀରେନ୍ଦ୍ର ସାର ଆମକୁ ଖୁବ୍ ଭଲ କୋଚିଂ ଦେଉଛନ୍ତି ଦୁଇ ଜଣ ଖୁବ୍ ଭଲ ସାଙ୍ଗ ଯାହା ମୁଁ ଶୁଣିଥିଲି ସେହିଭଳି ତାଙ୍କର କୋଚିଂ ମଧ୍ୟ ଖୁବ୍ ଉଚ୍ଚ କୋଟୀର ଉଭୟ ସବୁବେଳେ ଆମ ପ୍ରତି ଖୁବ୍ ଯତ୍ନବାନ ରହିଥାନ୍ତି ଖାଇବା ଓ ସମୟ ଅନୁସାରେ ଅଭ୍ୟାସ କୁ ଖୁବ୍ ଗୁରୁତ୍ୱ ର ସହିତ ନେଇଥାନ୍ତି। ସେମାନଙ୍କ ପ୍ରଶିକ୍ଷଣ ଆମ କୁ ଅନେକ ସଫଳତା ଦେଉଚି ଓ ଆଗକୁ ଦେବ ଏହା ଆମର ବିଶ୍ବାସ।

Leave a Reply

Your email address will not be published. Required fields are marked *