ଭୁବନେଶ୍ଵର :ରାଜ୍ୟରେ ବ୍ଲକ୍‌ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ

ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୁଗାନ୍ତକାରୀ ପଦକ୍ଷେପ ସମଗ୍ର ଓଡ଼ିଶାରେ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବା ସହିତ ଏକ ଦୃଢ଼ କ୍ରୀଡ଼ା ପରିବେଶକୁ ପ୍ରତିଷ୍ଠିତ କରିବା ପାଇଁ ସାହାଯ୍ୟ କରିବ ।

ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି, ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ଵପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ ସୃଷ୍ଟି ହେବାରେ ଯେଉଁ ଅସୁବିଧା ରହୁଛି, ତାକୁ ଦୂରୀଭୂତ କରାଯାଇ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବା । ବିଶେଷକରି ବ୍ଲକ ସ୍ତରରେ, ଯେଉଁଠାରେ ଭିତ୍ତିଭୂମି ଗୁଡ଼ିକ ଅନୁନ୍ନତ ଅବସ୍ଥାରେ ରହିଛି, ସେଠାରେ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ।

ଏହି ବ୍ୟବଧାନକୁ ଦୂର କରିବାର ଆବଶ୍ୟକତାକୁ ଅନୁଭବ କରି, ରାଜ୍ୟ ସରକାର ଖେଳାଳୀ ମାନଙ୍କ ପାଇଁ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରେ ଅଧିକ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରିବା ଆଦି ଅନେକ ଲକ୍ଷ୍ୟ ରଖିଛନ୍ତି ।

ଓଡ଼ିଶା ସରକାର ପ୍ରାୟ ସମସ୍ତ ପ୍ରମୁଖ କ୍ରୀଡ଼ା ଶୃଙ୍ଖଳା ଉପରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରତିଯୋଗିତା ମୂଳକ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ସହିତ,ଏହି ସୁବିଧା ଗୁଡ଼ିକ ଗ୍ରାମୀଣ ଯୁବ ପ୍ରତିଭାମାନଙ୍କୁ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ ଏବଂ ସେମାନଙ୍କର ସାମଗ୍ରିକ ବିକାଶ ଏବଂ ଦୀର୍ଘକାଳୀନ ମାନସିକ ତଥା ଶାରୀରିକ ସୁସ୍ଥତା ଅନୁକୂଳ ପ୍ରଭାବ ପକାଇବ ।

ଭାରତର ଏକ ଉଦୀୟମାନ କ୍ରୀଡ଼ା କେନ୍ଦ୍ର ଭାବରେ ସ୍ୱୀକୃତିପ୍ରାପ୍ତ ହେବା ଏବଂ ଦେଶରେ ଏକ କ୍ରୀଡ଼ା ସଂସ୍କୃତି ପ୍ରତିଷ୍ଠା କରିବାକୁ ଓଡ଼ିଶା ପ୍ରତିବଦ୍ଧ ଅଟେ । “ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ” ପ୍ରକଳ୍ପ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ।

ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ୮ ରୁ ୧୦ ଏକର ଜମିରେ ନିର୍ମାଣ ହେବ,ଏବଂ ଏଥିରେ ଫୁଟବଲ୍ କିମ୍ୱା କ୍ରିକେଟ ପଡ଼ିଆ, ଥ୍ରୋ ଓ ଜମ୍ପ ଫିଲ୍‍ଡ ସହିତ ଆଥଲେଟିକ୍ ଟ୍ରାକ୍, ଭଲିବଲ୍, ଖୋ ଖୋ, କବାଡ଼ି କୋର୍ଟ, ବ୍ୟାଡମିଣ୍ଟନ୍, ଟେବୁଲ ଟେନିସ୍ ଇତ୍ୟାଦି ଖେଳର ସୁବିଧା ସହିତ ଇଣ୍ଡୋର ହଲ୍ ନିର୍ମାଣ କରାଯିବ ।

ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ, କ୍ୟାବିନେଟ ପର୍ଯ୍ୟାୟ କ୍ରମେ ୫ ବର୍ଷ ପାଇଁ ୪,୧୨୪ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ।

Leave a Reply

Your email address will not be published. Required fields are marked *