ଜାତୀୟସ୍ତରର ପ୍ରତିଯୋଗତା ଆୟୋଜନରେ ଚରମ ଅବ୍ୟବସ୍ଥା ଓ ଜାଲିଆତି : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ ଦାବି

ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଚାଲିଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା , ରାଜଗାଙ୍ଗପୁର ଓ ସୁନ୍ଦରଗଡ ର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍‌ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିଲେ। ଏଥିରେ ହେଉଥିବା ବିଭିନ୍ନ କ୍ରୀଡ଼ାରେ ଭାଗ ନେବା ପାଇଁ ଦେଶର ୨୧ ରାଜ୍ୟରୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଖେଳାଳି ଆସିଛନ୍ତି। ଏହି ପ୍ରତିଯୋଗିତା ସୁଚାରୁରୂପେ ପରିଚାଳନା ପାଇଁ ପ୍ରାୟ ୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାରୀ ସୂଚନା ରହିଛି୤ ଏହି କ୍ରୀଡ଼ା ମହୋତ୍ସବକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲାର ଜିଲ୍ଲାପାଳ ଙ୍କ ସମେତ ଅନେକ ପଦାଧିକାରୀ ଦାୟିତ୍ବ ନେଇଛନ୍ତି୤ ଅନ୍ୟ ପକ୍ଷରେ କ୍ରୀଡା ପ୍ରତିଯୋଗିତା ମୁଖ୍ୟ ପରିଚାଳନା କରୁଛନ୍ତି ରାଉରକେଲା ରେ ଥିବା ଓଡ଼ିଶା କ୍ରୀଡା ବିଭାଗ ର ଯୁଗ୍ମ ନିର୍ଦେଶକ ସୁଦୀପ୍ତ ନାୟକ୤ ସୂଚନା ମୁତାବକ ଶ୍ରୀ ନାୟକ ରାଉରକେଲା ସମେତ ରାଜଗାଙ୍ଗପୁର ର ଦାୟିତ୍ୱ ନିଜ ଅଧୀନରେ ରଖି ମନିଟରିଂ କରୁଛନ୍ତି୤ ଅନ୍ୟପକ୍ଷରେ ମନିଟରିଂ ତ ଦୂରର କଥା ଖେଳାଳୀଙ୍କୁ ଠିକ୍ ସମୟରେ ପାନୀୟ ଜଳ ଓ ଖାଦ୍ୟ ମିଳି ପାରୁ ନଥିବା ଅଭିଯୋଗ ସତ୍ତ୍ୱେ କୌଣସି ପ୍ରକାର ଉଚିତ୍ ପଦକ୍ଷେପ ନ ନେବାକୁ ନେଇ ଏକାଧିକ ଆଲୋଚନା ଯୋଗୁଁ ଜିଲ୍ଲାର ସୁନାମ ବଦନାମ ହେବା ସହ ଓଡ଼ିଶାକୁ ଲଜ୍ଜିତ ହେବାକୁ ପଡ଼ିଛି। ସେହିଭଳି ସୁନ୍ଦରଗଡ଼ ସଦର ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି୤ ଏ ନେଇ ଜିଲ୍ଲା କ୍ରୀଡା ଅଧିକାରୀ ଏ ନେଇ ତାଙ୍କର କିଛି କରିବାର ନାହିଁ ବୋଲି ହାତ ଟେକି ଦେଉଛନ୍ତି । ଏହା ଦ୍ବାରା ଖେଳାଳିମାନେ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନର ରାଜ୍ୟ ସରକାର ଗୋଟେ ପଟେ ରଜ୍ୟଗୋଷ୍ଟି କ୍ରୀଡା ଓ ଏସିଆନ୍ ଇଣ୍ଡୋର୍ ଆଥଲେଟିକ୍ ର ଆୟୋଜନ ନେଇ ସ୍ବପ୍ନ ଦେଖୁଥିବା ବେଳେ ସାମାନ୍ୟ ଜାତୀୟ ପ୍ରତିଯୋଗୀତା ର ଆୟୋଜନ ଠିକ୍ ସେ ପରିଚାଳିତ ନ ହେବା କ୍ରୀଡା ବିଭାଗ ଅପାରଗତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିଭଳି ବିଭିନ୍ନ ପ୍ରକାରର ଖେଳକୁ ପରିଚାଳନା କରିବା ପାଇଁ ଗଠିତ ବୈଷୟିକ ସମିତିରେ କାର୍ଯ୍ୟରତ ସଦସ୍ୟମାନଙ୍କ ନିଯୁକ୍ତିକୁ ନେଇ ଜାଲିଆତି ହୋଇଥିବା ଅନେକ ପ୍ରମାଣ ମିଳିଛି। ଏହାକୁ ନେଇ ମଧ୍ୟ ଆସିଥିବା ଖେଳାଳି ଓ କୋଚ୍ ଅଭିଯୋଗ ଆଣିବା ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏ ବିଷୟରେ ଦାୟିତ୍ୱରେ ଥିବା ତଥା ନିଜକୁ ଜଣେ ଅର୍ନ୍ତଜାତୀୟ କୋଚ୍ ଓ କେତେବେଳେ ଟେକ୍ନିକାଲ ଅଫିସର କହୁଥିବା ଶିବ ମିଶ୍ରଙ୍କ ପ୍ରତିକ୍ରିୟା ଅଜବ ଧରଣର୤ ବିଶେଷ କରି ଫୁଟବଲ , କବାଡି ,ଭଲିବଲ୍, ବେଡମିଣ୍ଟନ୍, ଖୋଖୋ,ଚେସ ,ସନ୍ତରଣ ଆଦି କ୍ରୀଡ଼ା ପରିଚାଳନାରେ ଆବଶ୍ୟକ ଯୋଗ୍ୟତା ନଥାଇ ଏକାଧିକ ସଦସ୍ୟ କିପରି ନିୟୋଜିତ ହେଲେ ଏବଂ ସେମାନଙ୍କୁ ଦାୟିତ୍ଵ ଦେଇଥିବା ଶ୍ରୀ ନାୟକ ଓ ଶ୍ରୀ ମିଶ୍ର କିପରି ତାଙ୍କୁ ନିୟୋଜିତ କଲେ ତାହାକୁ ନେଇ ଆଲୋଚନା ଜାରି ରହିଛି୤ ଗୋଟିଏ ପଟେ ଖେଳାଳୀଙ୍କ ରହିବା, ଖାଇବା ଓ ପାନୀୟ ଜଳ ସମସ୍ୟା ଓ ଅନ୍ୟପଟେ ବୈଷୟିକ ସଦସ୍ୟ ନିଯୁକ୍ତିରେ ଏକାଧିକ ଜାଲିଆତି ସମ୍ପ୍ରତି ରାଜ୍ୟ କ୍ରୀଡ଼ା ବିଭାଗର ହାତଗଣତି ଅଧିକାରୀଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି୤ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ସହିତ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ମଧ୍ୟ ଆଦିବାସୀ ଓ ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ସାଂସଦ୤ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଥମେ ଛତିଶଗଡ଼ ଓ ପରେ ଓଡ଼ିଶାର ଭୁବନେଶ୍ବରରେ ହେବାକୁ ଥିବା ଏହି ୫ଦିନିଆ ଜାତୀୟସ୍ତରର କ୍ରୀଡ଼ା ମହୋତ୍ସବ ଶେଷ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜନ କରି ନିଜ ଜିଲ୍ଲାର ଗୌରବ ବୃଦ୍ଧି କରିବାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଚାହିଁଥିଲେ୤ କିନ୍ତୁ କ୍ରୀଡ଼ା ମହୋତ୍ସବର ପାରିଚାଳନା ଓ ବ୍ୟବସ୍ଥାଗତ ତ୍ରୁଟି ଶ୍ରୀ ଓରାମଙ୍କ ସମସ୍ତ ଉଦ୍ୟମକୁ ଫିକା କରିଦେଇଛି୤ ଆମ ପକ୍ଷରୁ ହୋଇଥିବା ଅନୁସନ୍ଧାନ ଅନୁଯାୟୀ ରାଜ୍ୟରେ ପୂର୍ବରୁ ରହିଥିବା ସରକାରର ମିଷ୍ଟିମେୟ ବୋଲକରା ଓ ହାତସଫାଇ ଅଧିକାରୀଙ୍କ ବିଛାଯାଇଥିବା ଜାଲ ଯୋଗୁଁ ଏହିଭଳି ସମସ୍ୟା ହୋଇଥିବା ଜଣାପଡ଼ିଛି୤

ଏହାକୁ ନେଇ ବିଜେପି ରାଜ୍ୟ ନେତୃତ୍ବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ତଦନ୍ତ ହେଲେ ଲୋକଲୋଚନକୁ ସତ ଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି୤ ଅଳ୍ପ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରା ନଗଲେ ଆସନ୍ତା ଦିନରେ ଜିଲ୍ଲାରେ ହେବାକୁ ଥିବା ଆଉ କିଛି ଜାତୀୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବଦ୍‌ନାମ ହେବାର ଆଶଙ୍କା ଦେଖାଦେଇଛି୤

Leave a Reply

Your email address will not be published. Required fields are marked *