ରାଉରକେଲା, ୦୨ ଅକ୍ଟୋବର ୨୦୨୪: ଗାନ୍ଧୀ ଜୟନ୍ତୀ ତଥା ସ୍ଵଚ୍ଛ ଭାରତ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନରେ ସ୍ଵଚ୍ଛତା ମାରାଥନ୍-୨୦୨୪ ର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିବା ସହ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।
ପୁରୁଷ, ମହିଳା ଓ ବରିଷ୍ଠ ନାଗରିକ ଏହିପରି ଭାବେ ତିନୋଟି ବିଭାଗରେ ଆୟୋଜିତ ଏହି ମାରାଥନରେ ୭୩୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ କରିଥିଲେ। ପୁରୁଷ ବିଭାଗରେ ୫୯୭ ଜଣ ପ୍ରତିଯୋଗୀ ରହିଥିବା ବେଳେ ମହିଳାରେ ୧୨୧ ଓ ବରିଷ୍ଠ ନାଗରିକ ବିଭାଗରେ ୧୪ ଜଣ ପ୍ରତିଯୋଗୀ ରହିଥିଲେ। ସ୍ଥାନୀୟ ଉଦିତ ନଗର ମିନି ଷ୍ଟାଡିୟମ ପରିସରରୁ ବାହାରିଥିବା ଏହି ମାରାଥନ ହନୁମାନ ବାଟିକା, ଡିଏଭି ଛକ, ଛେଣ୍ଡ ଛକ, ଅଭିଜ୍ଞାନ ଛକ, ସ୍ପେସ୍ ଛକ ହୋଇ ପୁଣି ଉଦିତ ନଗର ମିନି ଷ୍ଟାଡିୟମ ଠାରେ ଶେଷ ହୋଇଥିଲା।

ସ୍ଵଚ୍ଛତା ମାରାଥନ-୨୦୨୪ ରେ ବରିଷ୍ଠ ବିଭାଗରେ ଭରତ ଚରଣ ଭାଉଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଈଶ୍ବର ଚନ୍ଦ୍ର ଟୁଡୁ, ପୀତବାସ ପଣ୍ଡା ଓ ଅଜୟ ଦାସ ଯଥାକ୍ରମେ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେହିପରି ଭାବେ ମହିଳା ବର୍ଗରେ ନମିତା ପ୍ରଧାନ ସନ୍ଧ୍ୟା ମୁର୍ମୁ, ସୁସ୍ମିତା କୁଜୁର, ଧନମତୀ ମାଝୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ପୁରୁଷ ବିଭାଗରେ ଅଶୋକ ଦଣ୍ଡସେନା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଅର୍ଜୁନ ଟୁଡୁ, ତୃତୀୟରେ ପ୍ରଦୀପ ମହତ ଓ ଚତୁର୍ଥରେ ଦିବ୍ୟ ରଞ୍ଜନ ଦାସ ରହିଥିଲେ। ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଦ୍ଵିତୀୟରେ ଥିବା ପ୍ରତିଯୋଗୀ ପ୍ରତିଯୋଗୀଙ୍କୁ ୧୨ ହଜାର, ତୃତୀୟ ୧୦ ହଜାର ଏବଂ ଚତୁର୍ଥରେ ଥିବା ପ୍ରତିଯୋଗୀଙ୍କୁ ୭ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ପୁରସ୍କାର ବିତରଣୀ ସଭାରେ ଯୋଗ ଦେଇ ସ୍ଵଚ୍ଛତା ଓ ଅହିଂସାକୁ ଗାନ୍ଧୀଙ୍କ ଦୁଇ ମୂଳମନ୍ତ୍ର କହିବା ସହ ଏକ ସ୍ଵଚ୍ଛ ଓ ସବୁଜ ରାଉରକେଲା ଗଠନ କରିବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି ସେ ଆହ୍ଵାନ ଦେଇଥିଲେ ଦେଇଥିଲେ। ଏଥିସହ ଏକ ସୁସ୍ଥ ସମାଜ ଗଠନ ପାଇଁ ନିଜର ଦୈନଦିନ ଜୀବନଶୈଳୀରେ ସ୍ଵଚ୍ଛତାକୁ ସାମିଲ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଉରକେଲା ସହରକୁ ସ୍ଵଚ୍ଛ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସଫେଇ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଦେବା ପୂର୍ବକ ୨୯ ଜଣଙ୍କୁ ମାନପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା। ଏଥିସହ ଏକ ସ୍ଵଚ୍ଛ ଓ ସୁନ୍ଦର ରାଉରକେଲା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ସମସ୍ତେ ଶପଥ ନେଇଥିଲେ। ଏହା ବ୍ୟତୀତ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଗଲା l
ଏହି କାର୍ଯ୍ୟକ୍ରମରେ ପାନପୋଷ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ଡିଏସପି ରାଉରକେଲା ଶ୍ରୀଯୁକ୍ତ ନିର୍ମଳ ମହାପାତ୍ର, ତହସିଲଦାର ଶ୍ରୀମତୀ ନିବେଦିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କାଙ୍କ ସହ ଆରଏମସିର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।