ଭୁବନେଶ୍ବର: ଚଳିତ ମାସ ୧୫ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁ ଯାଉଛି ପ୍ରୋ ଲିଗ୍ ମହିଳା ହକି ପ୍ରତିଯୋଗୀତା । ଯେଉଁଥିରେ ଭାରତ ଶକ୍ତିଶାଳୀ ଇଂଲଣ୍ଡ,ସ୍ପେନ,ନେଦରଲ୍ୟାଣ୍ଡ ଓ ଜର୍ମାନୀ ଭଳି ଦଳ ସହିତ ମୁକାବିଲା କରିବ। ନିକଟରେ ବିଭିନ୍ନ ଦଳ ପକ୍ଷରୁ ଏଚ୍ ଆଇ ଏଲ ପ୍ରତିଯୋଗିତା ଖେଳି ଭାରତୀୟ ମହିଳା ହକି ଦଳ ଏକ ପ୍ରକାର ପ୍ରତିଦ୍ୱନ୍ଦୀ ମୂଳକ ହୋଇ ସାରିଛନ୍ତି ତେଣୁ କୋଚ୍ ହରିନ୍ଦର୍ ସିଂହ ଙ୍କୁ ନିଜ ଦଳର ଦୁର୍ବଳତା ଭଲ ଭାବେ ଜଣା । ଦୁର୍ବଳତା ଉପରେ ହରିନ୍ଦର ଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଭାରତ ମହିଳା ଦଳରେ ଦୀପିକା ଙ୍କୁ ଛାଡିଦେଲେ ସେହିଭଳି ଆଖିଦୃଷ୍ଟିଆ ଦ୍ରାଗ୍ ଫ୍ଲିକର କେହି ନାହାନ୍ତି।

ତେଣୁ ଦଳ କୁ ଫିଲ୍ଡ ଗୋଲ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ବିଶେଷ କରି ଦଳରେ ଥିବା ଯୁବ ଖେଳାଳୀଙ୍କୁ ଅଧିକ ପ୍ରଶିକ୍ଷଣ ମାଧ୍ୟମରେ ପ୍ରସ୍ତୁତ କରିବାକୁ ପଡ଼ିବ। ସଲିମା ଟେଟେ ଦଳର ଅଧିନାୟିକା ଥିଲା ବେଳେ ନବନିତ୍ କୌର ଦଳର ଉପ ଅଧିନାୟିକା ଅଛନ୍ତି। ପ୍ରୋ ଲିଗ୍ ପ୍ରତିଯୋଗିତା ମାଧ୍ୟମ ରେ ଚମ୍ପିୟାନ ହୋଇ କୌଣସି ବି ଦଳ ସିଧାସଳଖ ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ। ତେଣୁ ବିଶ୍ବର ପ୍ରମୁଖ ୯ ଟି ଦଳ ଏହି ପ୍ରତିଯୋଗିତା ରେ ନିଜର ଦକ୍ଷତା ର ସଠିକ ଉପଯୋଗ କରିବାର ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ଦଳର ଅଧିନାୟିକା କୁହନ୍ତି ଆମେ ସମସ୍ତ ଦଳ ସହିତ ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛୁ ଆମ ଦଳ ଏସିଆନ୍ ଚମ୍ପିୟାନସ ଟ୍ରଫି ଜିତିବା ଓ ପରେ ପରେ ହକି ଇଣ୍ଡିଆ ଲିଗ୍ ଖେଳିବା ଦ୍ଵାରା ସମସ୍ତ ଖେଳାଳି ନିଜ ନିଜ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହୋଇଛନ୍ତି ଯାହା ପ୍ରୋ ଲିଗ୍ ରେ ଭଲ ପ୍ରଦର୍ଶନ କରିବାରେ ସହାୟକ ହେବ ।

ଏବେ କଳିଙ୍ଗ ଷ୍ଟାଡିୟମ୍ ରେ ୨୪ ଜଣିଆ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଅଭ୍ୟାସ ଜାରି ରହିଛି । ଦେଖିବାକୁ ବାକି ରହିଲା ପ୍ରତିଯୋଗୀତାରେ ଦଳର ପ୍ରଦର୍ଶନ ଆଗକୁ କିପରି ରହିବ ।