ବିଶ୍ଵକପ ଯୋଗ୍ୟତା:ଭାରତ ପ୍ରୋଲିଗ୍ ରୁ ନିରାଶ ,ଏସିଆ କପ୍ ଉପରେ ରଖିଛି ନଜର ।


ନୂଆଦିଲ୍ଲୀ:(୧୬-୬- ୨୫) ୩୦ ନଭେମ୍ବର ୨୦୨୪ ଓଡ଼ିଶାରୁ ଆରମ୍ଭ ହୋଇଥିବା ୬ ଷ୍ଟ ସଂସ୍କରଣ ପୁରୁଷ ପ୍ରୋ ଲିଗ୍ ହକି ପ୍ରତିଯୋଗୀତା ୨୯ ଜୁନ ୨୦୨୫ ଜର୍ମାନୀର ବର୍ଲିନ ରେ ସମାପ୍ତ ହେବ । ଇତି ମଧ୍ୟରେ ଭାରତ ତାର ସମୁଦାୟ ୧୬ ଟି ମ୍ୟାଚ୍ ମଧ୍ୟରୁ ୧୪ ଟି ମ୍ୟାଚ୍ ଖେଳି ସାରିଲାଣି । ଏହି ୧୪ ଟି ମ୍ୟାଚ୍ ମଧ୍ୟରୁ ୫ ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ବେଳେ ୯ ଟି ମ୍ୟାଚ୍ ରେ ପରାଜୟ ବରଣ କରିଛି । କୌଣସି ବୋନସ ପଏଣ୍ଟ ନାହିଁ. ସମୁଦାୟ ୧୫ ପଏଣ୍ଟ ପାଇ ଭାରତ ପଏଣ୍ଟ ଟେବୁଲ୍ ରେ ୭ ମ ସ୍ଥାନରେ ରହିଛି। ଭାରତ ଜୁନ ୨୧ ଓ ୨୨ ରେ ଶେଷ ଦୁଇଟି ମ୍ୟାଚ ବେଲଜିୟମ ସହିତ ମୁକାବିଲା କରିବ। ଦୁଇଟି ମ୍ୟାଚ ଜିତିଲେ ମଧ୍ୟ ଭାରତ ପଏଣ୍ଟ ଟେବୁଲ୍ ର ଶୀର୍ଷ ରେ ପହଞ୍ଚି ପାରିବ ନାହିଁ। ପ୍ରୋ ଲିଗ୍ ର ଫର୍ମାଟ ଅନୁଯାୟୀ ଯେଉଁ ଦଳ ପ୍ରଥମ ସ୍ଥାନରେ ରହିବ ସେ ସିଧା ସଳଖ ବିଶ୍ଵକପ ଯୋଗ୍ୟତା ହାସଲ କରିବ। ଏ ପର୍ଯ୍ୟନ୍ତ ଖେଳା ଯାଇଥିବା ମ୍ୟାଚ୍ ର ପଏଣ୍ଟ ଟେବୁଲ୍ କୁ ଆଧାର କରି ନେଦରଲ୍ୟାଣ୍ଡ ଶୀର୍ଷ ରେ ରହିଥିବା ବେଳେ ଆର୍ଜେଣ୍ଟିନା ଦ୍ୱିତୀୟ ଓ ବେଲଜିୟମ ତୃତୀୟ ସ୍ଥାନରେ ରହିଛନ୍ତି।

୨୦୨୬ ପୁରୁଷ ହକି ବିଶ୍ଵକପ ଆୟୋଜକ ହିସାବରେ ନେଦରଲ୍ୟାଣ୍ଡ ଓ ବେଲଜିୟମ ସିଧା ସଳଖ ବିଶ୍ଵକପ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି ।ଏଭଳି ସ୍ଥିତିରେ,ଏ ପର୍ଯ୍ୟନ୍ତ ଖେଳା ଯାଇଥିବା ମ୍ୟାଚ୍ ର ପଏଣ୍ଟ କୁ ଦେଖିଲେ ଆର୍ଜେଣ୍ଟିନା ପ୍ରୋ ଲିଗ୍ ରୁ ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଛି। ଭାରତ ପ୍ରୋ ଲିଗ୍ ହକି ରୁ ବିଶ୍ଵକପ ଖେଳିବାର ଯୋଗ୍ୟତା ଏକ ପ୍ରକାର ହରାଇ ସାରିଲାଣି। ଦଳର ଅଧିନାୟକ ହର୍ମନ୍ ପ୍ରୀତ ସିଂହ ଓ କୋଚ୍ ଗ୍ରେଗ ଫ୍ଲୁଟନ ଙ୍କ ନଜର ଏବେ ଏସିଆ କପ୍ ଉପରେ। ଚଳିତ ସିଜିନ୍ ଏସିଆ କପ୍ ହକି ବିହାର ର ରାଜଗୀରି ରେ ଚଳିତ ସେପ୍ଟେମ୍ବର ମାସରେ ରେ ଖେଳାଯିବ। ପ୍ରୋ ଲିଗ୍ ପାଇଁ ୟୁରୋପ ଯାତ୍ରା କରିଥିବା ଭାରତୀୟ ଦଳ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛନ୍ତି। ଯାତ୍ରା ପୂର୍ବରୁ ଆଶା କରା ଯାଉଥିଲା ଭାରତ ଭଲ ଖେଳ ପ୍ରଦର୍ଶନ କରି ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିବ କିନ୍ତୁ ତାହା ହୋଇ ପାରିଲା ନାହିଁ।

ୟୁରୋପ ଯାତ୍ରାରେ ଭାରତୀୟ ଖେଳାଳି ମନପ୍ରିତ୍ ସିଂ ତାଙ୍କର ୪୦୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ସୌଭାଗ୍ୟ ହାସଲ କରିଛନ୍ତି। ଦଳରେ ଅଭିଷେକ , ଅମିତ୍ ରୋହିଦାସ ଓ ହାର୍ଦ୍ଦିକ ସିଂହ ଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଆଖି ଦୃଷ୍ଟିଆ ପ୍ରଦର୍ଶନ କରି ନାହାନ୍ତି। ଏବେ ଭାରତୀୟ ଦଳ ଯେଉଁ ସ୍ଥିତିରେ ଗତି କରୁଛି ତାହାକୁ ଆଖି ଆଗରେ ରଖିଲେ ଏସିଆ କପ୍ ହକି ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ। ତେଣୁ ରାଜଗିରୀ ରେ ଭାରତୀୟ ହକି ଦଳ କିପରି ପ୍ରଦର୍ଶନ କରିବ? କୋଚ୍ ଫ୍କୁଟନ୍ ଙ୍କ କଣ ରଣନୀତି ରହିବ? ଚମ୍ପିୟାନ ହୋଇ ଦଳ ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିବ କି ନାହିଁ? ଏହାକୁ ନେଇ ହକି ପ୍ରେମୀ ଙ୍କ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବରିଷ୍ଠ ହକି ଖେଳାଳୀ ଙ୍କ ମଧ୍ୟରେ ଭାରତୀୟ ଖେଳାଳି ଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ କୁ ନେଇ ଆଲୋଚନା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *